Unknown

 

 

 

 

 

 

 

 

 

ଅପରିପକ୍ୱତା

କବିବର ରାଧାନାଥ ରାୟ

 

ଅପରିପକ୍ୱତା ନାନାପ୍ରକାର । ଶାରୀରିକ, ମାନସିକ, ନୈତିକ ଏବଂ ରୈତିକ । ଶାରୀରିକ ଅପରିପକ୍ୱତା ଆମ୍ଭମାନଙ୍କର ଅଭୀଷ୍ଟ ପ୍ରସଙ୍ଗ ନୁହଇ । ଶରୀର ମନୁଷ୍ୟର ସାର ନୁହଇ-। ଶେଷୋକ୍ତ ତିନିପ୍ରକାର ଅପରିପକ୍ୱତା ବିଷୟରେ କିଛି କହିବୁଁ । ଅଜାତଶ୍ମଶ୍ରୁ ଅବସ୍ଥାର ରଚନା, ରୁଚି, ଭାବ, ଓ ମତ ପ୍ରଭୃତି ଆମ୍ଭମାନଙ୍କର ଆଲୋଚ୍ୟ ପଦାର୍ଥ ।

 

ଅଜାତଶ୍ମଶ୍ରୁ ଅବସ୍ଥାରେ ଆମ୍ଭେ କେତେ ପ୍ରକାର ମତ ପ୍ରକାଶ କରିଥିଲୁଁ । ଆମ୍ଭ ଜାଣିବାରେ ସେହି ମତଗୁଡ଼ିକ ଅକାଟ୍ୟ ଥିଲା । ପରିଣତ ବୟସ୍କ ବ୍ୟକ୍ତିମାନେ ଆମ୍ଭର ମତ ପ୍ରତି ଆସ୍ଥା କରୁନଥିଲେ । ସେଥି ନିମନ୍ତେ ସେମାନଙ୍କୁ ଈର୍ଷୀ ମଣୁଥିଲୁଁ । ଅଜାତଶ୍ମଶ୍ରୁ ଅବସ୍ଥାରେ ଲୋକେ କେତେ କବିତା ଲେଖନ୍ତି, କେତେ ପ୍ରବନ୍ଧ ଲେଖନ୍ତି । ସେତେବେଳେ ସେମାନଙ୍କର ବିଶ୍ୱାସ ଥାଏ ଯେ ସେହି କବିତା ଓ ପ୍ରବନ୍ଧମାନ ପ୍ରତିଷ୍ଠିତ କବି ଗ୍ରନ୍ଥକାରଙ୍କ ରଚନାରୁ କୌଣସି ଅଂଶରେ ନ୍ୟୂନ ନୁହେଁ । ଅଜାତଶ୍ମଶ୍ରୁ ଅବସ୍ଥାରେ ଲୋକେ ସାମାଜିକ ଓ ନୈତିକ ବିଷୟରେ କେତେ ପ୍ରକାର ମତ ପ୍ରକାଶ କରନ୍ତି । ସେହି ମତର ବିରୋଧୀମାନଙ୍କୁ ବିଷ-ଦୃଷ୍ଟିରେ ଦେଖନ୍ତି । ବୟସ ବଢ଼ିଲେ ସେହି ସବୁ ଅକାଟ୍ୟ ମତ, ସରସ କବିତା ଓ ପ୍ରବନ୍ଧ ଅନ୍ୟ ପ୍ରକାର ଦିଶେ; ସେ ସବୁ ସ୍ମରଣ କରି ମନ ଲଜ୍ଜିତ ଓ ବିସ୍ମୟାବିଷ୍ଟ ହୁଏ । ଅଜାତଶ୍ମଶ୍ରୁ ଯୁବକ! ସଭାରେ ବକ୍ତୃତା କରୁଅଛ, କାହିଁକି ତୁମ୍ଭେ ବର୍କ ସାହେବଙ୍କର ପ୍ରତିଯୋଗୀ ନ ହେବ, ସେଥିର ହେତୁ ଲୋଡ଼ୀ ପାଉନାହିଁ । ଅଜାତଶ୍ମଶ୍ରୁ ଯୁବକ! ତୁମ୍ଭେ ଖଣ୍ଡିଏ ଗ୍ରନ୍ଥ ମୁଦ୍ରିତ କରିଅଛ, ତାହାର ମାଧୁରୀ ଅନୁଭବ କରି ଥରକୁଥର ଆପଣାକୁ ପ୍ରଶଂସା କରୁଅଛ । ପରିଣତ ବୟସ୍କ ଲୋକେ ତୁମ୍ଭର ଗ୍ରନ୍ଥକୁ ପଡ଼ିଲେ। ତୁମ୍ଭର ରଚନା ସମ୍ୟକ୍ ଉଜ୍ଜ୍ୱଳ ଅଟେ, ସମ୍ୟକ୍ ଓଜୋଗୁଣବିଶିଷ୍ଟ ଅଟେ; ମାତ୍ର ସେମାନଙ୍କୁ ତୁମ୍ଭର ଗ୍ରନ୍ଥ ଭଲ ଲାଗିଲା ନାହିଁ। ତୁମ୍ଭର କ୍ରୋଧର ଇୟତ୍ତା ନାହିଁ । ପ୍ରକୃତ ହେତୁ ନ ଲୋଡ଼ି ଯେତେ ପ୍ରକାର ଅସତ୍‌ ହେତୁ ମହୀରେ ଅଛି, ବାଛି ବାଛି, ତୁମ୍ଭେ ସେହି ହେତୁଗୁଡ଼ିକ ଲୋଡ଼ୁଅଛ। ତୁମ୍ଭର ପୋଥିକୁ ବାନ୍ଧିରଖ, ଦଶବର୍ଷ ଯାଉ । ଦଶବର୍ଷ ଗଲା, ଏବେ ପଢ଼ । ଏବେ ପଢ଼ିଲାରୁ ତୁମ୍ଭର ମତ କ’ଣ ? ତୁମ୍ଭର ଭାଷା ଉତ୍ତମ ଅଟେ, ଅଳଙ୍କାର ଉତ୍ତମ ଅଟେ, ମାତ୍ର କାହିଁକି କେଜାଣି ସେ ଗ୍ରନ୍ଥ ତୁମକୁ ଭଲଲାଗୁନାହିଁ । ପୂର୍ବରେ ଯାହକୁ ତୁମ୍ଭେ ଓଜସ୍ୱିତା ମଣିଥିଲ, ଏତିକି ତାହା ଅପରିପକ୍ୱତା ରୂପେ ପ୍ରତିଭାତ ହେଉଅଛି। ଯାହାକୁ ଅଳଙ୍କାର ମଣିଥିଲ, ତାହା ଏବେ ନିରର୍ଥକ ଝଙ୍କାର ରୂପେ ପ୍ରତିଭାତ ହେଉଅଛି । ସେଗୁଡ଼ିକ ସାରବାନ୍ ଦିଶୁ ନାହିଁ । ବୟସ ବଢ଼ିଲାରୁ ବହୁଦର୍ଶିତା ବଢ଼ିଲା । ଆଉ ସେ ଭାବଗୁଡ଼ିକ ପରିପକ୍ୱ ବୋଧ ହେଉ ନାହିଁ । ସେହି ଅପରିପକ୍ୱତା କେଉଁଠାରେ ଅଛି, ତାହା ତୁମ୍ଭେ ସ୍ଥିର କରିପାରୁନାହଁ । ତଥାଚ ଅପରିପକ୍ୱତା ସ୍ପଷ୍ଟ ରୂପେ ଅନୁଭୂତ ହେଉଅଛି । ଆଉ ସେ ରଚନା ବନ୍ଧୁମାନଙ୍କ ଆଗରେ ପଢ଼ିବାକୁ ତୁମ୍ଭେ ସାହସ କରୁନାହିଁ । ଭାବ ଓ ଭାଷାକୁ ପରିବର୍ତ୍ତନ ନ କଲେ ତୁମ୍ଭର ଗ୍ରନ୍ଥ ପାଠ୍ୟ ହେବ ନାହିଁ, ଏହା ତୁମ୍ଭର ସ୍ଥିର ଉପଲବ୍‌ଧି ହେଉଅଛି । ମାତ୍ର ପ୍ରଥମେ ଲେଖିଲାବେଳେ ଏ ବିଚାର ନ ଥିଲା । ତୁମ୍ଭେ ଭାଳୁଥିଲ ଯେ ପରିଣତବୟସ୍କ ବ୍ୟକ୍ତିଙ୍କର ରଚନାଠାରୁ ତୁମ୍ଭର ରଚନା କୌଣସି ଅଂଶରେ ନ୍ୟୂନ ନୁହେଁ ।

 

ଅଳ୍ପବୟସ୍କ ବ୍ୟକ୍ତିଙ୍କୁ ଉପହାସ କରିବା ଏ ପ୍ରସଙ୍କର ଉଦ୍ଦେଶ୍ୟ ନୁହେଁ । ଅଳ୍ପ ବୟସରେ ସମସ୍ତଙ୍କର ଏପରି ଘଟିଥାଏ । ସମସ୍ତେଏହି ନିୟମର ଅନ୍ତର୍ଭୂତ । ବହୁଜ୍ଞ ଅଳ୍ପବୟସ୍କ ବ୍ୟକ୍ତିଙ୍କୁ ଅନେକ ବୃଦ୍ଧ ଲୋକେ ଈର୍ଷା କରନ୍ତି । ଏପରି ଈର୍ଷୀ ଲୋକ ପ୍ରତି ଘୃଣା ଜାତ ହୁଏ । ସେମାନଙ୍କର ଈର୍ଷା ସେମାନଙ୍କର ବାକ୍ୟ ଓ ଚାହାଣିରୁ ପ୍ରତିପନ୍ନ ହୁଏ । ବୃଦ୍ଧ ଲୋକେ ସେମାନଙ୍କଠାରୁ ଯୋଗ୍ୟତର, ଅଥଚ ଅଳ୍ପବୟସ୍କ ବ୍ୟକ୍ତିଙ୍କ କଥା କହୁଁ କହୁଁ କହନ୍ତି, ‘‘ହଁ, ପଢ଼ିଛନ୍ତି, ଜାଣନ୍ତି, ଏକା ପିଲାବୁଦ୍ଧି ଯାଇନାହିଁ ।’’ ଏପରି ପ୍ରଶଂସାଠାରୁ ନିନ୍ଦା ଶ୍ରେୟସ୍କର । ପ୍ରଶଂସା କୌଣସି ସଦଭିପ୍ରାୟରୁ ନ ବାହାରି କେବଳ ଈର୍ଷାକୁ ଘୋଡ଼ାଇ ରଖିବା ନିମନ୍ତେ ବାହାରୁଥିବାର ବୋଧହୁଏ । ଈର୍ଷୀ ପ୍ରବୀଣଙ୍କଠାରେ ଯେମନ୍ତ ଅଭକ୍ତି ଜନ୍ମେ, ଉଦାର ସ୍ଥବିରଙ୍କଠାରେ ସେହି ପରିମାଣରେ ଭକ୍ତି ହୁଏ । ଯେଉଁ ବୃଦ୍ଧ ଲୋକେ କୌଣସି ଯୁବାର ବୁଦ୍ଧି ଆପଣା ବୁଦ୍ଧିଠାରୁ ତୀକ୍ଷ୍ମତର ଜାଣି ସୁଦ୍ଧା କେବଳ ସଦଭିପ୍ରାୟରେ ତରୁଣ ବ୍ୟକ୍ତିଙ୍କୁ ଉତ୍ସାହ ଓ ଉପଦେଶ ପ୍ରଦାନ କରନ୍ତି, ଏମନ୍ତ ଲୋକଙ୍କ ପ୍ରତି ଭକ୍ତି ପ୍ରବାହ ଆପେ ପ୍ରବାହିତ ହୁଏ ।

 

ଅପରିଣତ ବ୍ୟକ୍ତିର ଭାବଭଙ୍ଗୀ ପ୍ରତି ଆମ୍ଭେ କଟାକ୍ଷ କରୁନାହୁଁ । ତୁମ୍ଭେ ଅଳ୍ପବୟସ୍କ ବୋଲି ମୁଁ ତୁମ୍ଭଠାରୁ ଅଧିକ ଜ୍ଞାନୀ, ଏହା କହିବା ମୋହର ଉଦ୍ଦେଶ୍ୟ ନୁହେଁ । ମୁଁ କେବଳ ଏହିତା କହୁଅଛି ଯେ ମୁଁ ତୁମ୍ଭଠାରୁ ବୟସରେ ବଡ଼ । ବର୍ତ୍ତମାନ ତୁମ୍ଭେ ଯେମନ୍ତ ଭାବରେ ଚାଲୁଅଛ, ମୁଁ ମଧ୍ୟ ବୟସରେ ସେହିପରି ଚାଲୁଥିଲି । ତୁମ୍ଭଙ୍କୁ ବର୍ତ୍ତମାନ କ’ଣ ଭଲ ଲାଗୁଛି, କ’ଣ ମନ୍ଦ ଲାଗୁଛି, ମୁଁ ତାହା ବିଶେଷ ରୂପେ ଜାଣେ । ତାହା ଜାଣେ, ଆହୁରି କିଛି ଜାଣେ । ସମୟସ୍ରୋତରେ ମୁଁ ଅଧିକ ଦୂର ଭାସି ଆସିଲିଣି । ମୁଁ ବର୍ତ୍ତମାନ ଯାହା କହୁଅଛି, ତାହା ତୁମ୍ଭର ଅବସ୍ଥା ପ୍ରତି ଯେମନ୍ତ ପ୍ରବର୍ତ୍ତେ, କେତେକ ବର୍ଷ ପୂର୍ବରେ ମୋହର ଯେପରି ମତି ଗତି ଥିଲା, ତାହାକୁ ମଧ୍ୟ ସେହିପରି ପ୍ରବର୍ତ୍ତନ୍ତା । କେତେ ଲୋକ ପ୍ରୌଢ଼ାବସ୍ଥାର ଯେତେ ନିକଟବର୍ତ୍ତୀ ହେଉଥାନ୍ତି, ଭୂତପୂର୍ବ ବାଲ୍ୟସୁଲଭ ଓ ଯୌବନସୁଲଭ ଭାବମାନ ସ୍ମରଣ କରି ସେହି ପରିମାଣରେ ଲଜ୍ଜିତ ହୁଅନ୍ତି । ‘‘ମୁଁ ନିର୍ବୋଧ ଅଟେ’’ ଏହା ସ୍ୱୀକାର କରିବାକୁ ଅତ୍ୟନ୍ତ କଷ୍ଟ ହୁଏ । ମାତ୍ର ‘‘ମୁଁ କେଡ଼େ ନିର୍ବୋଧ ଥିଲି’’ ଏହା ସ୍ୱୀକାର କରିବାକୁ କେହି କୁଣ୍ଠିତ ହୁଅନ୍ତି ନାହିଁ । ହେତୁ କି, ପୂର୍ବରେ ନିର୍ବୋଧ ଥିବାର ସ୍ୱୀକାର କରିବାର ଯେ, ସେ ବର୍ତ୍ତମାନ ଉନ୍ନତିର ଚକ୍ର ପରିଚାୟକ ଅଟେ । ପୂର୍ବର ସାମାନ୍ୟ ଭ୍ରମ ଓ ଅଜ୍ଞତାକୁ ଲୋକେ ବାହୁଲ୍ୟରୂପରେ ବର୍ଣ୍ଣନା କରନ୍ତି । ‘‘ମୋତେ କ ଅକ୍ଷର ଲେଖି ଆସୁ ନଥିଲା’’ ଏ ଉକ୍ତିର ପ୍ରକୃତ ଅର୍ଥ, ଏଣିକି ମୁଁ ଅନେକ ବିଦ୍ୟା ପଢ଼ିଲିଣି । ‘‘ଗଣ୍ଡାକ କେତେ କଡ଼ା ଏହା ମୁଁ କହିପାରୁନଥିଲି’’- ଏହାର ଅର୍ଥ, ଏବେ ମୁଁ ଅଙ୍କ ପାଠ ଭଲ ଜାଣେ । ଏଇଟି ସମସ୍ତଙ୍କର ପ୍ରକୃତି । ପୂର୍ବ ଭାବ, ପୂର୍ବ ଚାପଲ୍ୟ ସ୍ମରଣ କରି ସମସ୍ତେ ଲଜ୍ଜିତ ହୁଅନ୍ତି । ପାଠକେ, ତୁମ୍ଭେ ସ୍କୁଲରେ ପଢ଼ିଥିଲ ଟିକି ? ମେଡ଼ାଲ ପରୀକ୍ଷା ସମୟରେ ଯେଉଁ ପ୍ରବନ୍ଧ ଲେଖିଥିଲ, ଲୋଡ଼ି ଦେଖ, ବାକ୍‌ସରେ ଥିବ- ଏବେ ପଢ଼ି କ’ଣ ପାଞ୍ଚିଲ? ଲାଜ ମାଡ଼ୁଛି ତ! ମାଡ଼ିବ ତ! ତୁଚ୍ଛା ଲାଜ ନୁହେ, ତୁମ୍ଭର ହର୍ଷ ବିଷାଦ ଉପୁଜିବ-। ପୂର୍ବରେ ଏଡ଼େ ନିର୍ବୋଧ ପରି ଲେଖିଥିଲ, ଏଥି ନିମନ୍ତେ ଟିକିଏ ଆତ୍ମଗ୍ଳାନି ହେଉଥିବ । ଏଣିକି ହେତୁ ହୋଇଅଛି, ଏହା ଭାଳି ଟିକିଏ ଆତ୍ମଗ୍ଳାନି ମଧ୍ୟ ହେଉଥିବ । ମହୀରେ ସବୁଠାରୁ ନିର୍ବୋଧ କିଏ, ଏହିଟି କଠିନ ପ୍ରଶ୍ନ ଅଟେ । ଏହାର ଉତ୍ତର ଦେବାର କଠିନ । ମାତ୍ର ତୁମ୍ଭ ଜାଣିବାରେ ମହୀରେ ସବୁଠାରୁ କିଏ ନିର୍ବୋଧ ? ଏ ପ୍ରଶ୍ନର ଉତ୍ତର ତୁମ୍ଭେ ଅନାୟାସରେ ଦେଇପାରିବ । ତୁମ୍ଭର ପୂର୍ବ ରଚନା ପଢ଼ିଲାକ୍ଷଣି ପୂର୍ବ ଭାବ, ପୂର୍ବକାଳର ରସିକତା ସ୍ମରିଲାକ୍ଷଣି ସେ ଉତ୍ତର ତୁମ୍ଭର ମନରେ ପଡ଼ିବ । ବିଶେଷତଃ ସେହି ରଚନାରେ ଯେବେ ପଦ୍ୟ ମିଶ୍ରିତ ହୋଇଥିବ, ସେଥିରେ ଯେବେ ସ୍ଥାନେ ସ୍ଥାନେ ନୀତିଗର୍ଭ ମନ୍ତବ୍ୟ ଥିବ, ତାହାହେଲେ ତ ଉତ୍ତରର ଯଥାର୍ଥ୍ୟ ବିଷୟରେ ଉ ସନ୍ଦେହ ନାହିଁ । ନବଯୌବନ ପ୍ରାରମ୍ଭରେ ଗୁରୁଜନଙ୍କୁ ଯେଉଁ ପତ୍ରମାନ ଲେଖିଥିଲ, ଆପଣାର ରସିକତା ଓ ବର୍ଣ୍ଣନାଶକ୍ତିର ପରିଚୟ ଦେବା ନିମନ୍ତେ ବନ୍ଧୁମାନଙ୍କୁ ଯେଉଁ ପତ୍ର ଲେଖିଥିଲ, ସେହି ପତ୍ରର ଯେବେ ପ୍ରତିଲିପି ଥିବ, ଥରେ ସେଗୁଡ଼ିକ ପଢ଼ । ପଢ଼ିଲାକ୍ଷଣି କ’ଣ ଭାଳୁଅଛ? ଆତ୍ମଧିକ୍‌କାର କରୁଅଛ, ଗୁରୁଜନଙ୍କର ସ୍ନେହପ୍ରସୂତ ସହିଷ୍ଣୁତା ସ୍ମରଣ କରି ଥରକୁଥର ଲଜ୍ଜିତ ହେଉଅଛ । ଅକାଳ ରସିକତା, ସୁଭଗମ୍ମନ୍ୟତାର ପରିଚୟ ପ୍ରତି ବର୍ଣ୍ଣନାରୁ ମିଳୁଅଛି । ତଥାଚ ତୁମ୍ଭର ସେ ଦିନ ଗଲାଣି, ଏବେ ଆଉ ସେପରି ଲେଖିବାକୁ ସାହସ କରିବ ନାହିଁ, ଏହା ଭାଳି ମନ ଟିକିଏ ପ୍ରଫୁଲ୍ଲ ହେଉଥିବ ।

 

ମାନସିକ ଅପରିକ୍ୱତା କ’ଣ ? ସେଥିର ଲକ୍ଷଣ ନିର୍ଦ୍ଦେଶ କରିବାର ସହଜ ନୁହେ । ଏହିପରି ଅନେକ ବିଷୟ ଅଛି ଯେ ବର୍ଣ୍ଣନାଦ୍ୱାରା ତାହାକୁ ହୃଦୟଙ୍ଗମ କରାଇବାର ଅସାଧ୍ୟ ଅଟେ । ତୁମ୍ଭେ ପୀଡ଼ିତ ଅଛ, ପୀଡ଼ା ଯୋଗୁଁ ତୁମ୍ଭର ଦାରୁଣ କଷ୍ଟ ହେଉଅଛି, ତୁମ୍ଭେ କଷ୍ଟ ଅନୁଭବ କରୁଅଛ, ମାତ୍ର ଲୋକେ ପଚାରିଲାରୁ ତୁମ୍ଭେ ତାହା ବର୍ଣ୍ଣନାଦ୍ୱାରା ହୃଦୟଙ୍ଗମ କରାଇ ପାରୁନାହଁ । ମାନସିକ ଅପରିପକ୍ୱତା ସେହିପରି ଅନୁଭବରୁ ବୁଝିପାରିବ, ମାତ୍ର କହି ଆସିବ ନାହିଁ । ଶିକ୍ଷକମାନେ ଛାତ୍ରଙ୍କର, ବିଶେଷତଃ ବୁଦ୍ଧିମାନ୍ ଛାତ୍ରଙ୍କର, ରଚନା ପଢ଼ିଲାବେଳେ ଶଂସିତ ଅପରିପକ୍ୱତା ସ୍ପଷ୍ଟ ଅନୁଭବ କରନ୍ତି । ସ୍ଥବିର ଲୋକେ ସଭାରେ ବସି ଅଳ୍ପବୟସ୍କ ଯୁବାଙ୍କର ବକ୍ତୃତା ଶୁଣିବାବେଳେ ଶଂସିତ ଅପରିପକ୍ୱତା ଅନୁଭବ କରନ୍ତି । ବିଶେଷତଃ ଯେଉଁ ଯୁବକମାନେ ଅତ୍ୟନ୍ତ ତେଜ ଓ ଆଡ଼ମ୍ବର ସହିତ ବକ୍ତୃତା କରନ୍ତି, ସେମାନଙ୍କର ବକ୍ତୃତାରେ ଉକ୍ତ ଅପରିପକ୍ୱତା ସ୍ପଷ୍ଟ ଅନୁଭୂତ ହୁଏ-। ଯେମାନେ ଜଡ଼ମତି ଅଟନ୍ତି, ସେମାନଙ୍କର ରଚନା କିମ୍ବା ବକ୍ତୃତାରେ ଅପରିପକ୍ୱତା ଦେଖିବ ନାହିଁ-। ସେମାନଙ୍କର ସବୁ ଦିନ ସମାନ ରୂପରେ ଚଳେ । ଅଳ୍ପ ବୟସରେ ଯେମନ୍ତ ଲେଖିବ, ବୟସ ବଢ଼ିଲାରୁ ସୁଦ୍ଧା ସେହିପରି ଲେଖିବ । ସେମାନଙ୍କର ରଚନା କିମ୍ବା କଥାରେ ଅତ୍ୟୁକ୍ତି ଅବା ଅସଙ୍ଗତି ଦେଖିବ ନାହିଁ । ଜଡ଼ମତିମାନେ ଜଡ଼ଭାବରେ ଚାଲନ୍ତି, ବାଟ ଛାଡ଼ି ଏଣେତେଣେ ଯାଆନ୍ତି ନାହିଁ ।

 

ରଚନାଗତ ଅପରିପକ୍ୱତା ବର୍ଣ୍ଣନାଦ୍ୱାରା ବୁଝାଇବାର ସହଜ ନୁହେଁ । ତଥାଚ ସେ ବିଷୟର ବାହ୍ୟ ଚିହ୍ନ କଥଞ୍ଚିତ୍‌ରୂପରେ ଦେଖାଇ ସେ ବିଷୟ ଘେନି ଦୁଇ ଚାରି କଥା କହିବୁଁ । ସେହି ବାହ୍ୟ ଚିହ୍ନ ଯେ ସବୁ ସ୍ଥଳରେ ଅଭ୍ରାନ୍ତ, ଆମ୍ଭେ ଏପରି ବ୍ୟାପ୍ତି କରୁନାହୁଁ । ସ୍ଥଳବିଶେଷରେ ସେହି ଚିହ୍ନଦ୍ୱାରା ସମ୍ପୂର୍ଣ୍ଣ ବିପରୀତ ସିଦ୍ଧାନ୍ତ ମଧ୍ୟ ହୋଇପାରେ । ରଚନାଗତ ବିଶେଷତଃ ଭାଷାଗତ ଅପରିପକ୍ୱତା ଏହିପରି । ପାଠକେ! ପ୍ରୟୋଜନ ନଥିଲେହେଁ ଅକାରଣ ତୁମ୍ଭେ ଅନେକଥର ସମ୍ଭୋଧିତ ହୋଇ କେବେ କେବେ ହସିଅଛଟିକି ? ‘‘ପାଠକେ! ଅମୁକେଇ କଥା ଏପରି ହେଲା । ‘‘ପାଠକେ! ଅମୁକେଇ କଥା ସେପରି ହେଲା’’, ଏହିପରି ବାକ୍ୟମାନ ପଢ଼ୁଁ ପଢ଼ୁଁ ଲେଖକଙ୍କର ଫାଜିଲପଣ ଅନୁଭବ କରୁଥିବ । ସାଧାରଣ କଥାବାର୍ତ୍ତାରେ ବିଶୁଦ୍ଧ, ବିମଳ ପ୍ରଭୃତି ଶବ୍ଦମାନ ବ୍ୟବହାରରୁ ଅପରିପକ୍ୱତାର ଅଳ୍ପ ପ୍ରମାଣ ମିଳଇ । ‘ବଡ଼ ସରସ କଥା କହିଲେ’ ‘ଏ ବଡ଼ ଗଭୀର କଥା’ ‘କି ମଧୁର ଭାବ’ ସମାନ୍ୟ ବିଷୟରେ ଏହିପରି ମନ୍ତବ୍ୟ ବ୍ୟକ୍ତ କରିବାର କିଞ୍ଚିତ୍ ଅପରିପକ୍ୱତାର ପରିଚାୟକ ଅଟେ । ‘ଉନ୍ନତି’ ବିଶେଷତଃ ‘ଦେଶୋନ୍ନତି’ ଶବ୍ଦର ନିରଥର୍କ ପ୍ରଚୁର ବ୍ୟବହାର ଅପରିଣତିସୂଚକ ବୋଧହୁଏ । ‘ମୋହର’ ପରିବର୍ତ୍ତରେ ‘ମଦୀୟ’ ବ୍ୟବହାର ପ୍ରାୟ ସେହିପରି । ଅଳ୍ପ କଥାରେ ‘ସାଗର’ ବ୍ୟବହାର ସେହିପରି । ‘‘ହୃଦୟ ଅଗାଧ ଶୋକସାଗରରେ ନିମଗ୍ନ ହେଲା’’, ‘‘ବିସ୍ମୟାର୍ଣ୍ଣବରେ ପରିପ୍ଳୁତ ହେଲା ।’’

 

ଯେ ବିଷୟରେ ସହସ୍ର କୋମଳମନା ବ୍ୟକ୍ତିଙ୍କ ଆଖିରୁ ସୁଦ୍ଧା ଅଶ୍ରୁ ବାହାରିବ ନାହିଁ, ଏମନ୍ତ ବିଷୟରେ ଉେଲ୍ଲଖ କରି, ‘‘ଅମୁକେଇ କଥା ସ୍ମରଣ କଳେ ନୟନ ଅଶ୍ରୁଜଳରେ ପ୍ଳାବିତ ହୁଏ’’ ଏହିପରି ସ୍ଫୀତ ଅତ୍ୟୁକ୍ତି କରିବାର ଅପରିପକ୍ୱତାର ଚିହ୍ନ ଅଟେ । ଅବଶ୍ୟ ଏହି ଦୁଃଖପୂର୍ଣ୍ଣ ସଂସାରରେ ସୁଖ ଓ ବିସ୍ମୟର ଅନେକ ହେତୁ ଅଛି । ମାତ୍ର ଏକା ବୋଲି ଉଲ୍ଲିଖିତ ପ୍ରକାର ଲେଖକମାନେ ଯେ ପଦେ ପଦେ ଅଶ୍ରୁ ବିସର୍ଜନ କରୁଥିବାର ଲେଖନ୍ତି, ତାହା ସେମାନଙ୍କର ଅପରିପକ୍ୱତାର ଯେତେ ପରିଚୟ ଦିଏ କୋମଳମନସ୍କତାର ତେତେ ପରିଚୟ ଦିଏ ନାହିଁ । ଅବଶ୍ୟ ଏହି ସବୁ ଚିହ୍ନ ବାହ୍ୟ ଚିହ୍ନ, ମାତ୍ର ଆଭ୍ୟନ୍ତରିକ ଚିହ୍ନ ଦେଖାଇବାର ସହଜ ନୁହେ । ଅତ୍ୟୁକ୍ତି କରିବାର, ସାଧାରଣ ବିଶ୍ୱାସର ସମ୍ପୂର୍ଣ୍ଣ ବିପରୀତ କଥାମାନ କହି ଲୋକଙ୍କୁ ଚକିତ କରିବାର, ଉଦ୍ଧତ ଭାବ ଓ ଉଦ୍ଧତ ଦୃଷ୍ଟି ଏଗୁଡ଼ିକ ଆନ୍ତରର ଅପରିପକ୍ୱତା ସୂଚକ ଅଟନ୍ତି । କହି ଆସୁ ନାହିଁ, ମାତ୍ର ତୁମ୍ଭେ ମୋହର ଅଭିପ୍ରାୟ ବୁଝିପାରୁଥିବ । ଅଳ୍ପବୟସ୍କ ଯୁବକମାନଙ୍କୁ ସାଂସାରିକ କଷ୍ଟ ଓ ସାଂସାରିକ ଚିନ୍ତାର ବିଷୟ କହି ବିରକ୍ତ ହେବାର ଅନେକ ଥର ଶୁଣିଥିବ । ତୁମ୍ଭେ ବେଶ୍ ଜାଣ ଯେ ସେହି ଯୁବକମାନେ ସଂସାରକ୍ଷେତ୍ରରେ ପ୍ରବିଷ୍ଟ ହୋଇ ନାହାନ୍ତି, ସଂସାରର ପ୍ରକୃତ ସୁଖ ଦୁଃଖ ଅନୁଭବ କରିନାହାନ୍ତି । ସେମାନେ ଯେଉଁ ବିରକ୍ତି ପ୍ରକାଶ କରୁଅଛନ୍ତି, ସେହି ବିରକ୍ତି ମାଗିଆଣିବା ବିରକ୍ତି, ନିଜର ନୁହେଁ । ବିରକ୍ତି ପ୍ରକାଶ କରିବାର ସାଧାରଣ ପ୍ରଥା-ଅନୁମୋଦିତ ଜାଣି, ବହୁଦର୍ଶିତାର ପରିଚାୟକ ଜାଣି ସେମାନେ ବିରକ୍ତି ପ୍ରକାଶ କରନ୍ତି । ଯେ ନାବିକ ବାସ୍ତବ ନା’ ଚଳାଇଅଛି, ତାହା କଥା ଭିନେ । ତୁମ୍ଭର ପୁତ୍ରଶୋକ ଉପସ୍ଥିତ ହୋଇଅଛି । ଜଣେ ଯୁବକ ପୁତ୍ରର ମୁଖ ଦେଖି ନାହାନ୍ତି, ପୁତ୍ରର ସୁଖ ଜାଣିନାହାନ୍ତି, ସେ ପୁତ୍ରଶୋକର କଷ୍ଟ କାହୁଁ ଜାଣିବେ ? ଅଥଚ ସେ ଆସି ତୁମ୍ଭ ଦୁଃଖରେ ଦୁଃଖିତ ହୋଇ ସହାନୁଭୂତି ପ୍ରକାଶ କରୁଅଛନ୍ତି । ତାଙ୍କର ମୁଖଭଙ୍ଗୀରୁ କେହି ଅବା ପାଞ୍ଚିବେ ଯେ ସେ ଅନେକ ଥର ପୁତ୍ରଶୋକ ସହ୍ୟ କରିଥିବେ । ବାସ୍ତବରେ ସେହି ସହାନୁଭୂତିର ଅଧିକାଂଶ କାବ୍ୟାଧ୍ୟୟନରୁ ଜାତ, ଅନୁଭବରୁ ନୁହେଁ । ଅନୁଭବୀର ସହାନୁଭୂତି, ଅନୁଭବୀର ସାନ୍ତ୍ୱନା ଆନ ପ୍ରକାର । ଯେ ଉପଦେଶ ପ୍ରକୃତ ଅନୁଭବରୁ ଜାତ, ସେହି ଉପଦେଶକୁ ପ୍ରକୃତ ସାରବାନ୍ ଉପଦେଶ ବୋଲି ଜାଣିବ । ଅଳ୍ପବୟସ୍କର ରଚନାଠାରୁ ଅଧିକବୟସ୍କ ଲୋକର ରଚନା ଯେ ନିଶ୍ଚୟ ମନୋହର ହେବ, ଏହା ଆମ୍ଭେ କହୁନାହୁଁ । ନୈଷଧ ଜଣେ ଅଳ୍ପବୟସ୍କ ଯୁବାପୁରୁଷ ଲେଖିଥିଲେ । ଚାଣକ୍ୟ ଜଣେ ବର୍ଷୀୟାନ୍‌ର ରଚନା । ନୈଷଧର ରଚନାଠାରୁ ଚାଣକ୍ୟର ରଚନା ଅଧିକ ମନୋହର, ଏହା କିଏ କହିବ? ଅନେକ ଅଳ୍ପବୟସ୍କ ଲୋକଙ୍କ ରଚନା ଯେମନ୍ତ ମନ ଆର୍କଷଣ କରେ, ଅଧିକ ବୟସ୍କର ରଚନା ତାହା କରିପାରେ ନାହିଁ । ଜଣେ ନବଯୁବକର ରଚିତ ପ୍ରବନ୍ଧ ତୁମ୍ଭେ ଆଦ୍ୟୋପାନ୍ତ ମନୋଯୋଗ ସହିତ ପଢ଼ିବ, ଶେଷ ନ କରିବା ପର୍ଯ୍ୟନ୍ତ ଛାଡ଼ି ପାରିବ ନାହିଁ । ପ୍ରୌଢ଼ର ରଚିତ ପ୍ରବନ୍ଧ ଆଠ ଦଶ ପଂକ୍ତି ଉତ୍ତାରୁ ତୁମ୍ଭକୁ ନିତାନ୍ତ ନୀରସ ବୋଧ ହେବ, ଆଉ ପଢ଼ିବାକୁ ପ୍ରବୃତ୍ତି ହେବ ନାହିଁ । ଅପରିପକ୍ୱ ରଚନା ପଢ଼ିବାକୁ ଅପ୍ରବୃତ୍ତି ହେବ ନାହିଁ, ମାତ୍ର ପଦେ ପଦେ ତୁମକୁ ବିରକ୍ତ ଅଥବା ଦୁଃଖିତ ହେବାକୁ ହେବ । କେଉଁଠି ନିତାନ୍ତ ଧୃଷ୍ଟତା, କେଉଁଠି ଅସଙ୍ଗତ ଅତ୍ୟୁକ୍ତି, କେଉଁଠାରେ ସାଧାରଣ ସଂସ୍କାର ଉପରେ ଘୋରତର ଚଢ଼ାଉ, କେଉଁଠାରେ ଅବା ଆତ୍ମଗରିମାର ପରାକାଷ୍ଠା, ଏହିପରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ । ମାତ୍ର ସେ ଯାହାହେଉ ଲେଖକର ଉତ୍ସାହ ଓ ଆନ୍ତରିକତା ଯୋଗୁଁ ଉକ୍ତ ଦୋଷ ଥିଲେ ସୁଦ୍ଧା ରଚନା ଅରୁଚିକର ହୁଏ ନାହିଁ । ଏଥିପାଇଁ ଅପରିପକ୍ୱ ରଚନାର ପାଠକ ଅଧିକ । ଅନେକ ପ୍ରୌଢ଼ ସୁଲେଖଙ୍କ ରଚନାର ଯେତେ ଆଦର ନ ହୁଏ, ଅପରିପକ୍ୱ ଲୋକର ରଚନା ତାହାଠାରୁ ଦଶଗୁଣ ଆଦର ଲଭେ । ଅନେକ ସୁଲେଖକ ଆପଣା ପୂର୍ବରଚନାର ବହୁ ପ୍ରଚାର ସଙ୍ଗେ ବର୍ତ୍ତମାନ ରଚନାର ଅଳ୍ପ ପ୍ରଚାର ତୁଳନା କରି ଦୁଃଖିତ ହୁଅନ୍ତି । ଫଳ କଥା ଏତିକି ଅପରିପକ୍ୱ ରଚନାର ପାଠକ ସଂଖ୍ୟା ଅଧିକ । ଅପରିପକ୍ୱ ରଚନାର ଆସ୍ୱାଦ ପାଠକ ସ୍ୱୟଂ ପରିପକ୍ୱ ନ ହେଲେ ଗ୍ରହଣ କରି ପାରନ୍ତି ନାହିଁ । ପରିପକ୍ୱତା ଲଭିବା ଅଧିକାଂଶ ଲୋକର ଭାଗ୍ୟରେ ନାହିଁ । ଯେମାନେ ପଣ୍ଡିତ ଓ କାର୍ଯ୍ୟକ୍ଷମ ବୋଲି ସମାଜରେ ପ୍ରତିଷ୍ଠା ଲଭିଅଛନ୍ତି, ସେମାନେ ସୁଦ୍ଧା ଅଳ୍ପବୟସ ବେଳେ ଅପରିପକ୍ୱ ଥିଲେ । ଇତର ଲୋକଙ୍କର ତ କଥା ନାହିଁ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଚିରଜୀବନ ଅପରିପକ୍ୱ ଥାନ୍ତି, ଅନ୍ତତଃ ସେମାନଙ୍କର ରୁଚି ଅପରିପକ୍ୱ ଥାଏ । ଏଥିଯୋଗୁଁ ଅପରିପକ୍ୱ ରଚନାର ପ୍ରଚାର ଅଧିକ । ଅଧିକାଂଶ ଲୋକଙ୍କୁ ଗୋଟିଏ ଯତ୍ସାମାନ୍ୟ ଚୌପଦୀ ଯେମନ୍ତ ଭଲ ଲାଗିବ, କାଳିଦାସଙ୍କ ରଚନା ତେମନ୍ତ ଭଲ ଲାଗିବ ନାହିଁ । ତେମନ୍ତ ଭଲଲାଗିବାର ତେଣିକି ଥାଉ, ମୂଳୁଁ ଭଲ ଲାଗିବ ନାହିଁ । ପଲ୍ଲିନିବାସୀ କୃଷକ ଆଖିକୁ ଫରାସିସ୍ ଛିଟର ମିରଜେଇ ଯେମନ୍ତ ସୁନ୍ଦର ଦିଶିବ, ସାଟିନ୍‌ର ମିରଜେଇ ତେମନ୍ତ ଦିଶିବ ନାହିଁ ।

 

କେତେ ବୟଃକ୍ରମ ହେଲେ ପ୍ରକୃତ ପରିପକ୍ୱତା ଜନ୍ମେ- ଏ ଗୋଟିଏ କଠନ ପ୍ରଶ୍ନ । ଏହାର ମୀମାଂସା କରିବା ସହଜ ନୁହେ, ପ୍ରାୟ ଅସାଧ୍ୟ । କଳିଯୁଗରେ ମନୁଷ୍ୟର ଉର୍ଦ୍ଧ୍ୱ ଆୟୁ ପ୍ରାୟ ୧୨୦ ବର୍ଷ । ଲୋକଙ୍କୁ ଏ ପ୍ରଶ୍ନ ପଚାରିଲେ ୧୨୦ ପ୍ରକାର ଉତ୍ତର ମିଳିବ । କୋଡ଼ିଏ ବର୍ଷୀୟ ଯୁବା କହିବେ, କୋଡ଼ିଏ ବର୍ଷରେ ପରିପକ୍ୱତା ଜନ୍ମେ; ଚାଳିଶବର୍ଷୀୟ ପ୍ରୌଢ଼ କହିବେ, ଚାଳିଶ ବର୍ଷରେ ପରିପକ୍ୱତା ଜନ୍ମେ; ୮୦ ବର୍ଷୀୟ ବୃଦ୍ଧ ମଧ୍ୟ ଆପଣା ବୟସର ସେହିପରି ଗୌରବ କରିବେ । କେଉଁ କାଳର ରଚନାକୁ ପ୍ରକୃତ ପରିପକ୍ୱ ରଚନା ବୋଲିବା ? ଯେ ଗ୍ରନ୍ଥକୁ ମୁଁ ଭଲ କହିଲି, ମାଧବ ବିବେଚନାରେ ସେ ନିତାନ୍ତ ମନ୍ଦ । ଯେଉଁ ଭାବକୁ ମୁଁ ଅନୁପମ ଉଦାରତା ବୋଲି ପ୍ରଶଂସା କଲି, ଆଉ ଜଣେ ପ୍ରକୃତ ଯୋଗ୍ୟତାସମ୍ପନ୍ନ ବ୍ୟକ୍ତି ସେହି ଭାବକୁ ଯତ୍‌ସାମାନ୍ୟ ମଣିଲେ । ଯେଉଁ ରଚନା ମୋତେ ନିତାନ୍ତ ଅସାର ଓ ଆଡ଼ମ୍ବରପୂର୍ଣ୍ଣ ବୋଧହେଲା, ମୋହୋ ସମକକ୍ଷ ଆଉ ଜଣେ ସେହି ରଚନାକୁ ଅମୃତମୟ ବୋଇଲେ । ତୁମ୍ଭେ ଗୋଟିଏ ଦାମୁଡ଼ିଆ କିଣିଲ । ତାହାର ଦାନ୍ତ ଦେଖି ସମସ୍ତେ କହିଲେ, ଏ ଦାମୁଡ଼ିଆଟି ଭଲ । ମୁଁ ଭଲ କହିଲି, ତୁମ୍ଭେ ଭଲ କହିଲ । ରୁଚି ବିଷୟରେ ସେହିପରି କିଛି ଥାନ୍ତା କି ? ବ୍ରାହି, ମୁଗ ଓଜନ ନିମନ୍ତେ ଯେମନ୍ତ ଦୋକାନୀର ତରାଜୁ ଅଛି, ମନୁଷ୍ୟର ମାନସିକ ଉତ୍କର୍ଷ ଓଜନ କରିବା ନିମନ୍ତେ ଥାନା ଆଗରେ ଅଥବା କୌଣସି ପ୍ରସିଦ୍ଧ ଛକ ଜାଗାରେ ସେହିପରି ଗୋଟିଏ ତରାଜୁ ଥାନ୍ତା କି ? ଦୀନକୃଷ୍ଣ ଦାସେ ରସକଲ୍ଲୋଳ ଚିପୁଡ଼ିଲାରୁ ଅନେକ ରସ ବାହାରିଥିଲା । ଆଜିଗଲା ପୋଥିମାନଙ୍କରୁ ଯେବେ ସେହିପରି ରସ ବାହାରୁଥାନ୍ତା, ତେବେ ଏତେ ମତାନ୍ତର ହୁଅନ୍ତା ନାହିଁ । ଅନେକ ବିଦ୍ୟାଶୂନ୍ୟ ପଣ୍ଡିତମ୍ମନ୍ୟ ମହାତ୍ମାଙ୍କର ଦର୍ପ ଚୂର୍ଣ୍ଣ ହୁଅନ୍ତା । ଯେ ବ୍ୟକ୍ତି ବାସ୍ତବ ଯେଉଁ ପରିମାଣରେ ଯୋଗ୍ୟ, ସେହି ପରିମାଣରେ ତାଙ୍କର ପ୍ରତିଷ୍ଠା ହୁଅନ୍ତା । ପ୍ରକୃତ ବିଚାରିବାକୁ ସକ୍ଷମ ଲୋକେ ପୃଥିବୀରେ ଅତି କମ୍-। ଏଣୁକରି ଉଲ୍ଲିଖିତ ତରାଜୁରେ ଯେ କେତେ ଉପକାର ହୁଅନ୍ତା, କେତେ ପ୍ରବଞ୍ଚନା ନିବାରିତ ହୁଅନ୍ତା, ତାହା କଳି ହେବ ନାହିଁ ।

 

କିପରି ରଚନାକୁ ପରିପକ୍ୱ ରଚନା ବୋଲିବେ ? ତୁମ୍ଭର ବର୍ତ୍ତମାନ ରୁଚିକି ଯାହା ଭଲ ଲାଗୁଅଛି, ସେହି କ’ଣ ପରିପକ୍ୱ ରଚନା ? ଏହା ଅବା କିପରି କହିବ? ତୁମ୍ଭର ବର୍ତ୍ତମାନ ରୁଚି କ’ଣ ସବୁଦିନ ଏହିପରି ଥିବ ? ଦଶ ବର୍ଷ ଆଗେ ତୁମ୍ଭ ରୁଚି ଯେପରି ଥିଲା, ବର୍ତ୍ତମାନ ତ ସେହିପରି ନାହିଁ-। ଏଣିକି ଦଶ ବର୍ଷ ଉତ୍ତାରୁ ଯେ ରୁଚି ବଦଳିବ ନାହିଁ, ଏହାର ଅବା ପ୍ରମାଣ କ’ଣ ? ଦଶ ବର୍ଷ ପୂର୍ବରେ ତୁମ୍ଭେ ଯାହା ଲେଖିଥିଲ, ବର୍ତ୍ତମାନ ଅପରିପକ୍ୱ ବୋଧହେଉଅଛି । ସେମାନଙ୍କର ରଚନା ସେହିଭଳି । ଯେଉଁ ପୁସ୍ତକ ପିଲାକାଳରେ ପଢ଼ି ମୋହିତ ହେଉଥିଲ, ସେହି ପୁସ୍ତକ ସମ୍ପ୍ରତି ଦେଖି ଆପଣା ପୂର୍ବ ରୁଚି ସ୍ମରଣ କରି ଆଶ୍ଚର୍ଯ୍ୟାନ୍ୱିତ ହେଉଥିବ । ବାସ୍ତବରେ ରୁଚି ବର୍ଷକୁବର୍ଷ ବଦଳୁଛି । ରୁଚି ପରିବର୍ତ୍ତନ ଛାଡ଼ି ଲୋକଙ୍କର ମତି ଦିନକୁଦିନ କ୍ଷଣକୁକ୍ଷଣ ପରିବର୍ତ୍ତିତ ହେଉଅଛି । କାଲି ତୁମ୍ଭେ କୌଣସି ଅବସ୍ଥାରେ ପତିତ ହୋଇ ଗୋଟିଏ କାର୍ଯ୍ୟ କଲ । କାର୍ଯ୍ୟ କରିବାବେଳେ ଅବସ୍ଥାବଶରୁ ତୁମ୍ଭେ ଯାହା କରୁଥିଲ ଭଲକରୁଥିଲ । ମାତ୍ର ଆଜି ପୁଣି ସ୍ୱାଭାବିକ ଅବସ୍ଥାକୁ ଆସି ପ୍ରକୃତିସ୍ଥ ହୋଇ ସେହି କାର୍ଯ୍ୟକୁ ନିହାତି ରହିତ ମଣୁଅଛ । ଆମ୍ଭର ଜଣେ ବନ୍ଧୁ ତାହାଙ୍କର ବିବାହ ସରିଲା ଉତ୍ତାରୁ ନବୀନପତ୍ନୀସମାଗମ ସୁଖରେ ଉନ୍ମତ୍ତ ହୋଇ ସେହି ଉନ୍ମତ୍ତ ଅବସ୍ଥାରେ ଆପଣା ବନ୍ଧୁମାନଙ୍କୁ କେତେଖଣ୍ଡି ପତ୍ର ଲେଖିଥିଲେ । ସେହି ପତ୍ରରେ ଲେଖାହୋଇଥିବା କଥାଗୁଡ଼ିକ ବର୍ତ୍ତମାନ ସ୍ମରଣ କରି ସେ ନିତାନ୍ତ ଲଜ୍ଜିତ ହୁଅନ୍ତି । ସେ ଯେତେବେଳେ ଲେଖିଥିଲେ, ସେତେବେଳେ ଆପଣାକୁ ପ୍ରକୃତିସ୍ଥ ଜାଣିଥିଲେ, ଲିଖିତ ବିଷୟଗୁଡ଼ିକୁ ସୁସଙ୍ଗତ ମଣିଥିଲେ ।

Image